Para - Odia Kabita , Lekhaka Himanshu Parida
ପାରା (Para) By Himanshu Parida
କେତେ ଥର ଧାଇଁ ଯାଇଛି
ଧରିବାକୁ ତୋତେ
ତୋ ଉଡିବାର ଆନନ୍ଦ କୁ
ଅନାଇଛି କେତେ
ଭାବିଛି ତତେ ଛୁଇଁ ଦେଖିବି
କି ଉପାଦାନରେ ଗଢା ତୁ
କେମିତି ଶିଖିଯାଇଛୁ ଉଡିବା
ଭୁଇଁର ଆକର୍ଷଣରୁ ନିଜକୁ
କେମିତି ମୁକ୍ତ କରିଛୁ ।
ଭାବିଛି ଛୁଇଁ ଛୁଇଁ ତୋ କୋମଳ ପର
ଆଉଁସି ତୋ ପେଟ ତଳ
ପୋଷା ମନେଇବି ତୋତେ ।
ତୁ ଡାକିଲେ ଆସୁ
ବସିଯାଉ ମୋ ଅଗଣାରେ
ସୁନ୍ଦର ଭଙ୍ଗୀରେ ଚାଲୁ
ମୋ ସୋହାଗର ଖୁଦ ଖୁଣ୍ଟୁ
କେତେ ଆନନ୍ଦରେ ,
ସେତେବେଳେ ଯାଏ ତୁ ଜାଣି ନ ଥାଉ
ମୁଁ ଧରି ବସିଥାଏ ପଞ୍ଜୁରୀଟେ
ତୋତେ ଧରି ନେବାପାଇଁ ।
ମନ ଭରି ଦେଖୁ
ଆକାଶକୁ ଉଡିଯାଉ ତାପରେ
ଭଲ ପାଇବାର ଆକର୍ଷଣକୁ
ଉଡିବାରେ ବୁଝୁଥାଉ
ଲୋଟଣି ଭାଙ୍ଗି ମୋତେ ଲୋଭାଉ ।
ଏ ମାଟିରେ ମୁଁ ଠିଆ ହୋଇଥାଏ
ତୁ ମୋତେ ଦେଖୁଥାଉ
ହାତ ଠାରି ଡାକୁ
ମୋର ତ ଡେଣା ନ ଥାଏ
ଉଡି ଜାଣି ନାହିଁ ଯେଣୁ
ଭୁଇଁରେ ରହେ ,
ମୁଁ ତ ତତେ ମୋ ସାଥିରେ ପୋଷା ମନାଇ
ରଖିବାକୁ ଚାହେଁ ।
କେତେ ଦୂର ଆକାଶରେ ତୁ
ମୁଁ ଜାଣେନି ତୁ କଣ କହିବାକୁ ଚାହୁଁ ,
ଦୂର ଆକାଶର ପାରା ତୁ
ମୋ ପାଇଁ କଣ ଉଡୁଥାଉ ?
ମତେ ବି ଭୟ ହୁଏ
ତତେ ଯଦି ଲୋଭରେ ଧରିନିଏ
ମୋ ସ୍ନେହର ଭ୍ରମରେ ତୁ ଭୁଲିଯିବୁ
ମୋ ସଙ୍କୀର୍ଣ୍ଣ ଅଗଣାରେ ଚାଲିବୁ
ସେ କଣ ସୁନ୍ଦର ହେବ ?
ମୁଁ ତତେ ଭଲ ପାଇବି
ଏଇମିତି ଥିବି
ଦୂରେ ଦୂରେ ଆହୁରି ଦୂରେ
ତୁ ଉଡିବୁ ।
